ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଳୁର ଦରବୃଦ୍ଧି ରାଜ୍ୟବାସୀଙ୍କୁ କିଛିଦିନ ହେବ ହଇରାଣ କଲାଣି। ତେବେ ଉତ୍ତର ପ୍ରଦେଶରୁ ଆଳୁ ଗାଡ଼ି ଆସିବା ପରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ଆଳୁ ଦର। ବର୍ଷା ଦିନେ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ପଶ୍ଚିମବଙ୍ଗ ସରକାର ମଧ୍ୟ ଆଳୁ ଯୋଗାଇବାରେ ଓଡ଼ିଶାକୁ ନିରାଶ କରିଥିଲେ। ଗତ ଜୁଲାଇ ୨୬ ତାରିଖରେ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକ ଗୁଡ଼ିକୁ ସୀମାନ୍ତରେ ଥିବା ସୋନାକଣିଆ ଚେକ୍ ପୋଷ୍ଟ ନିକଟରୁ ପଶ୍ଚିମବଙ୍ଗ ସରକାର ତାଙ୍କ ପୋଲିସ ପ୍ରଶାସନ ଜରିଆରେ ଫେରାଇ ନେଇଥିଲେ।
ଆଉ ସେବେଠାରୁ ଆମ ରାଜ୍ୟରେ ଆଳୁର ଦରବୃଦ୍ଧି ସମସ୍ୟା ଆହୁରି ଅଧିକ ବଢିଥିଲା। ଆଳୁ ଭଳି ଏକ ଅତ୍ୟାବଶ୍ୟକ ସାମଗ୍ରୀର ଅଚାନକ ଦରବୃଦ୍ଧିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏଭଳି ସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆଡୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଓଡ଼ିଶାକୁ ଆଳୁ ପଠାଇବାରେ ସହଯୋଗ କରିବା ପାଇଁ ମମତାଙ୍କୁ ଅନୁରୋଧ କରିଥିଲେ। ହେଲେ ଏହି ପ୍ରସଙ୍ଗ କ୍ରମେ ରାଜନୈତିକ ରୂପ ନେବାରେ ଲାଗିଥିଲା। ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବୀନଙ୍କ ଚିଠିକୁ ଶସ୍ତା ରାଜନୀତି ବୋଲି କହିଲେ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କହିଲେ "ସେ ଚିଠି ଲେଖିଦେଇ ବସିବା ଲୋକ ନୁହନ୍ତି। ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଏନେଇ ସେ ଆଲୋଚନା କରିଛନ୍ତି। ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଏନେଇ ଆଲୋଚନା କରିଛନ୍ତି। ଏବଂ ମମତା ମଧ୍ୟ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି"। ଏହାପରେ ଯଦିଓ ପଶ୍ଚିମବଙ୍ଗରୁ କିଛି ଆଳୁ ଗାଡ଼ି ଓଡ଼ିଶାକୁ ଆସିଲା କିନ୍ତୁ ସେଥିରେ ପୁରା ସମସ୍ୟା ସମାଧାନ ହେଲା ନାହିଁ। ଏହାର କାରଣ ହେଲା ପଶ୍ଚିମବଙ୍ଗରୁ ଆଳୁ ଆଣି ଆସୁଥିବା ବ୍ୟବସାୟୀ ମାନଙ୍କୁ ବାଟରେ ପୋଲିସ ଏବଂ ଦଲାଲଙ୍କ ମାଧ୍ୟମରେ ହଇରାଣ କରାଗଲା।
ଓଡ଼ିଶା ସୀମାକୁ ପ୍ରବେଶ କରିବାର ୮ ରୁ ୧୦ କିଲୋମିଟର ପଛରୁ ଆଳୁ ଗାଡ଼ିକୁ ଅଟକାଇ ପ୍ରତି ଗାଡ଼ି ପିଛା ୪୦ ରୁ ୫୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା। ଏପରିକି ଏଥିରେ ପଶ୍ଚିମବଙ୍ଗ ସରକାର ଓ ଜିଲ୍ଲା ତଥା ପୋଲିସ ପ୍ରଶାସନର ହାତ ଥିବା ନିଜେ ପଶ୍ଚିମବଙ୍ଗର ବ୍ୟବସାୟୀ ମଧ୍ୟ ଅଭିଯୋଗ କରିଥିଲେ। ପଶ୍ଚିମବଙ୍ଗରୁ ଆଳୁ ଆସିଲେ ମଧ୍ୟ ବ୍ୟବସାୟୀଙ୍କୁ ରାସ୍ତାରେ ମୋଟା ଅଙ୍କର ଅର୍ଥ ଦେବାକୁ ପଡୁଥିବାରୁ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିଲା। ତେଣୁ ଆଳୁ ଦର ଯଦିଓ ସାମାନ୍ୟ କମିଲା କିନ୍ତୁ ସ୍ଵାଭାବିକ ସ୍ଥିତି ଫେରିବା ସମ୍ଭବ ହେଲାନି। ସେଥିପାଇଁ ପଶ୍ଚିମବଙ୍ଗର ସରକାରଙ୍କୁ ପାନେ ଦେବା ପାଇଁ ଓଡ଼ିଶା ସରକାର ଏହାର ବିକଳ୍ପ ବ୍ୟବସ୍ଥା ବାହାର କରିଥିଲେ।
ବ୍ୟବସାୟୀ ମହାସଂଘ ସହିତ ଆଲୋଚନା କରି ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ମାଗାଇଲେ। ଆଉ ୟୁପିରୁ ଆଳୁ ଆସିବା ପରେ ଅଧିକ ଦୂର ହେଇଥିବାରୁ ପରିବହନ ଖର୍ଚ୍ଚ ଯଦିଓ ବଢିଲା ତଥାପି ଆଳୁ କ୍ୟୁଣ୍ଟାଲ ପିଛା ମାତ୍ର ୫୦ ଟଙ୍କା ଅଧିକ ହେଲା। ଅର୍ଥାତ ଖାଉଟିଙ୍କୁ କିଲୋ ପିଛା ଅତିବେଶୀରେ ୧ ଟଙ୍କାରୁ ୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ତେବେ ଏବେ ଆମ ରାଜ୍ୟରେ ଆଳୁ ଦର ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି। ହେଲେ ସେପଟେ ପଶ୍ଚିମବଙ୍ଗରେ ଉତ୍ପାଦନ ହେଉଥିବା ଯେଉଁ ଆଳୁର ଓଡ଼ିଶାରେ ଚାହିଦା ରହିଛି ସେହି ଆଳୁକୁ ଅନ୍ୟ ରାଜ୍ୟରେ ବିକି ପାରିବନି ପଡୋଶୀ ରାଜ୍ୟ। ଏବେ ଓଡ଼ିଶା ଯଦି ବେଙ୍ଗଲ ଆଳୁ ନକିଣୁଛି ତେବେ ସେହି ଆଳୁ ଅନ୍ୟ ରାଜ୍ୟରେ ବିକ୍ରି ହେବାର ମଧ୍ୟ ସୁଯୋଗ ନାହିଁ।