ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହାନ ଭାରତୀୟ କ୍ରିକେଟର୍ ଅଂଶୁମାନ ଗାଏକୱାଡଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ରକ୍ତ କର୍କଟ ରୋଗ ସହ ଲଢେ଼ଇ କରି ଏହି ପ୍ରାକ୍ତନ ଡାହାଣହାତୀ ଓପନିଂ ବ୍ୟାଟର୍ ଶେଷରେ ହାରିଯାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ନିକଟରେ ଗାଏକୱାଡ ଅଧିକ ଚିକିତ୍ସା ଲାଗି ଲଣ୍ଡନ ଯାଇଥିଲେ। ସେଠାରେ ଏକମାସ ଧରି ଚିକିତ୍ସା ହେବାପରେ ଘରୋଇ ସହର ବରୋଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ମଧ୍ୟ ଗାଏକୱାଡଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇ ତୁରନ୍ତ ଏକ କୋଟି ଟଙ୍କା ଚଳିତ ମାସ ପ୍ରାରମ୍ଭରେ ପ୍ରଦାନ କରିଥିଲା। ୧୯୭୫ରେ ୱେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତରେ ଆସିଥିବାବେଳେ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ ଖେଳି ଗାଏକୱାଡ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତୀୟ ଦଳ ପକ୍ଷରୁ ସେ ୧୨ ବର୍ଷ ଧରି ପ୍ରତିନିଧିତ୍ୱ କରି ୪୦ ଟେଷ୍ଟ ଓ ୧୫ ଏକଦିବସୀୟ ମ୍ୟାଚ୍ ଖେଳିଥିଲେ।
ଟେଷ୍ଟରେ ସେ ଗୋଟିଏ ଦ୍ୱିଶତକ, ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହ ୧୯୮୫ ରନ କରିଥିଲେ। ସେହିଭଳି ଏକଦିବସୀୟ କ୍ରିକେଟ୍ରେ ତାଙ୍କ ନାମରେ ୨୬୯ ରନ ଲିପିବଦ୍ଧ ରହିଛି। ପ୍ରଥମଶ୍ରେଣୀ ଫର୍ମାଟ୍ରେ ସେ ୨୦୬ ମ୍ୟାଚ୍ ଖେଳି ୪୦ରୁ ଊଦ୍ଧ୍ୱର୍ ହାରରେ ୧୨,୧୩୬ ରନ କରିଥିଲେ। ଯେଉଁଥିରେ ୩୪ ଶତକ ଓ ୪୭ ଅର୍ଦ୍ଧଶତକ ସହ ସେ ୧୪୩ଟି ୱିକେଟ୍ ମଧ୍ୟ ନେଇଥିଲେ। ୧୯୮୨-୮୩ ସିଜନରେ ପାକିସ୍ତାନ ବିପକ୍ଷ ଜଳନ୍ଧରରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚରେ ସେ ୬୭୧ ମିନିଟ୍ କ୍ରିଜରେ ରହି ୨୦୧ ରନର ଦ୍ୱିଶତକୀୟ ପାଳି ଖେଳିଥିଲେ।
ଯାହାକି ସେତେବେଳେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଧିମା ଦ୍ୱିଶତକୀୟ ପାଳି ଥିଲା। ଅବସର ପରେ ସେ ୨ଥର ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ୧୯୯୯ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଅନିଲ କୁମ୍ବଲେ ଗୋଟିଏ ପାଳିରେ ୧୦ ୱିକେଟ୍ ନେବା ସମୟରେ ସେ ଦଳର ପ୍ରଶିକ୍ଷକ ରହିଥିଲେ। ଗାଏକୱାଡଙ୍କ ବାପା ଦତ୍ତାଜୀରାଓ ଗାଏକୱାଡ ମଧ୍ୟ ଭାରତ ପାଇଁ ୧୧ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।