ଆଖିର ଲୁହ ଠାରୁ ଏବେ ଭୋକର କୋହ ବଢ଼ି ଯାଉଛି। ମାଆ ଆଖିରୁ ଏବେ ଝରି ପଡ଼ୁଛି ଲୁହ। ଭୟ ଆଉ ଯନ୍ତ୍ରଣା ରେ ଛଟପଟ ହେଉଛି ଏହି ମାଆ ର କୋହଭରା ହୃଦୟ। କାରଣ ଦଶ ମାସ ଦଶ ଦିନ ଗର୍ଭରେ ରଖି ଖୁବ୍ ଯନ୍ତ୍ରଣା ସହି ଏହି ଦୁନିଆ କୁ ଆଣିଥିବା ତାର ଗେହ୍ଲା ପୁଅ ଏବେ ବିକଳାଙ୍ଗ ହୋଇ ଯାଇଛି। ଯେଉଁ ବୟସରେ ଗୋଟେ ପୁଅ ତାର ମାଆ ର ସାହାରା ପାଲଟିବା କଥା ସେହି ବୟସରେ ପୁଅ ଏବେ ବିକଳାଙ୍ଗ ହୋଇ ଯାଇଛି।

ପୁଅ ମାଆର ସେବା କରିବା ବୟସରେ ଏବେ ମାଆ ପୁଅର ସେବା କରୁଛି। ପୁଅ ଏବେ କଥା ମଧ୍ୟ କହି ପାରୁନି କାରଣ କଥା କହିବା ବେଳକୁ ଏବେ ପୁଅ ଆଖିରୁ ଝରି ପଡ଼ୁଛି ଲୁହ। ନିଜ ବୟସର ସାଙ୍ଗ ସାଥି କିଏ ଚାକିରୀ କରିଛି ତ ଆଉ କିଏ ମଧ୍ୟ ରାଜ୍ୟ ବାହାରେ ରହୁଛି। ଯେଉଁ ବୟସରେ ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିବା କଥା ସେହି ବୟସରେ ବିକଳାଙ୍ଗ ହୋଇ ଘରେ ପଡ଼ି ରହିଛନ୍ତି ଘରର ରୋଜଗାରିଆ ପୁଅ।

ଏହି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲାର, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଲାଡ଼ି ଗ୍ରାମ ପଞ୍ଚାୟତ , ଥୋଲଣ୍ଡା ଗ୍ରାମର। ବାପା ଗୋବିନ୍ଦ ପ୍ରଧାନ ଆଉ ମାଆ ହେଉଛନ୍ତି କମଳା ପ୍ରଧାନ। ପୁଅଟିର ନାମ ହେଉଛି ନାରାୟଣ ପ୍ରଧାନ। ଗୋବିନ୍ଦ ପ୍ରଧାନ ଙ୍କ ଦେହାନ୍ତ ପରେ ଘରେ ଭାଙ୍ଗି ପଡ଼ିଥିଲେ ମାଆ। ଆର୍ଥିକ ପରିସ୍ଥିତି ତାଙ୍କର ଧୀରେ ଧୀରେ ଅଚଳ ହେବାକୁ ଲାଗିଲା। ନାରାୟଣ ବାହାରେ ରଙ୍ଗ ମିସ୍ତ୍ରୀ ଭାବରେ କାମ କରି ତାଙ୍କର ପରିବାର ପ୍ରତିପୋଷଣ କରୁଥିଲେ।
ସେଠାରେ ତାଙ୍କୁ ସମସ୍ତେ ଜାଣିଥିଲେ। ଗୋଟିଏ ଛୋଟିଆ ଦୁର୍ଘଟଣା ତାଙ୍କୁ ଜୀବନସାରା ପାଇଁ ଦିବ୍ୟାଙ୍ଗ କରି ଦେଇଥିଲା। ଆଉ ତା ପର ଠାରୁ ସବୁ ଚିକିତ୍ସା ସରିଥିଲେ ମଧ୍ୟ ସେ ଘରେ ଏବେ ଅଚଳ ହୋଇ ପଡି ରହିଛନ୍ତି। ପୁଅ ର ଏଭଳି ଅବସ୍ଥା ଦେଖି ମାଆ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ଏବେ ମାସକୁ ମାତ୍ର ୧୦୦୦ ଟଙ୍କା ମିଳୁଛି ସରକାରଙ୍କ ତରଫରୁ। ସେଥିପାଇଁ ସେ ଏବେ ଲୋକ ମାନଙ୍କ ସହାୟତା ସହ ସରକାରଙ୍କ ସହାୟତା ମାଗୁଛନ୍ତି।